ଭୁବନେଶ୍ୱର: ଓଡ଼ିଶାରୁ ଏବେ ଛାଡ଼ୁନି ବର୍ଷା। ଦିନେ ଦୁଇଦିନ ବର୍ଷାର ପ୍ରକୋପ ସାମାନ୍ୟ କମିପାରେ, ହେଲେ ଏହା ପରେ ପୁଣି ବଢ଼ିବ ବର୍ଷା। ଆସନ୍ତା ୧୩ ତାରିଖରୁ ରାଜ୍ୟରେ ଲଗାଣ ବର୍ଷା ହେବାର ଆଶଙ୍କା ରହିଛି। ଉତ୍ତର, ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିପାରେ।
ଏହାର ପ୍ରଭାବ କେବଳ ଓଡ଼ିଶାରେ ସୀମିତ ରହିବ ନାହିଁ। ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଫଳରେ ନଦୀଗୁଡ଼ିକର ଜଳସ୍ତର ପୁଣି ବଢ଼ିବା ସହ ବନ୍ୟା ବିପଦ ଗମ୍ଭୀର ହୋଇପାରେ।
ଉତ୍ତର ଓଡ଼ିଶାରେ ଫେରିଲା ବନ୍ୟା ଆଶଙ୍କା
ଏପଟେ ଉତ୍ତର ଓଡ଼ିଶାକୁ ବନ୍ୟା ବିପତ୍ତି ଛାଡ଼ୁନାହିଁ। ବୈତରଣୀ, କାଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବଢ଼ିବାରୁ ରବିବାର ରାତିରୁ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ପୁଣି ବନ୍ୟାଜଳ ପ୍ରବେଶ କରିଛି।
ଆଗକୁ ଯଦି ଲଗାଣ ବର୍ଷା ଜାରି ରହେ, ତେବେ ଉତ୍ତର ଓଡ଼ିଶାର ବନ୍ୟା ସ୍ଥିତି ପୁଣି ଗମ୍ଭୀର ରୂପ ନେଇପାରେ। ତଳମୁଣ୍ଡ ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ ମହାନଦୀର ଜଳସ୍ତର ମଧ୍ୟ ବଢ଼ିପାରେ।
ଫସଲ ଉପରେ ବଡ଼ ବିପଦ
ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ହଜାର ହଜାର ହେକ୍ଟର ଚାଷଜମି ପ୍ରଭାବିତ ହୋଇସାରିଛି। ଅନେକ ଅଞ୍ଚଳରେ ଜମି ଏବେ ବି ପାଣିରେ ବୁଡ଼ି ରହିଛି। ଫଳରେ ଧାନ ଫସଲ ପଚିବା ଆରମ୍ଭ କରିଛି।
ପ୍ରାଥମିକ ରିପୋର୍ଟ ଅନୁସାରେ ୩୭ ହଜାର ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବା କୁହାଯାଇଥିଲା। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ କ୍ଷୟକ୍ଷତିର ପରିମାଣ ଆହୁରି ବଢ଼ିପାରେ।
ଘାଇ ହୋଇଥିବା ଅଞ୍ଚଳରେ ପୁଣି ବର୍ଷାଜଳ ପଶିଲେ ଜଳମଗ୍ନ ହୋଇପାରେ ଅନେକ ଗାଁ। ଏଥିସହ ଚାଷୀଙ୍କ ଚିନ୍ତା ଆହୁରି ବଢ଼ିବ।
୧୧ରେ ଘୂର୍ଣ୍ଣିବଳୟ, ୧୩ରେ ଲଘୁଚାପ!
ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୧୧ ତାରିଖରେ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପରେ ୧୩ ତାରିଖ ବେଳକୁ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି।
ଲଘୁଚାପ ପ୍ରଭାବରେ ୧୩ରୁ ୧୫ ତାରିଖ ଯାଏଁ ଲଗାଣ ବର୍ଷା ହୋଇପାରେ। ଏହି ସମୟରେ ଉତ୍ତର ଓଡ଼ିଶା ଓ ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି।
ସେହିପରି ୧୪ ତାରିଖରୁ ପଶ୍ଚିମ ଓଡ଼ିଶାରେ ବର୍ଷା ବଢ଼ିପାରେ। ୧୫-୧୬ ତାରିଖରେ ପଶ୍ଚିମ ଓଡ଼ିଶା ସହ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
୧୦ରୁ ୧୨ ତାରିଖ ଯାଏଁ କ’ଣ ରହିବ ସ୍ଥିତି?
ଆସନ୍ତା ୧୦ରୁ ୧୨ ତାରିଖ ଯାଏଁ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ ଘଡ଼ଘଡ଼ି ସହ ଅସରାଏ ବର୍ଷା ହୋଇପାରେ। ସକାଳ ସମୟରେ ଗୁଳୁଗୁଳି ମଧ୍ୟ ଅଧିକ ରହିପାରେ।

