ଜେଲରୁ ଏକାଥରେ ଫେରାର ହେଲେ ୧୭ କଏଦୀ, ଜେଲରଙ୍କୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ଜେଲ୍‌ର ସୁରକ୍ଷା ବ୍ୟବସ୍ଥାକୁ ଚକମା ଦେଇ ଏକାଥରେ ଫେରାର ହୋଇଗଲେ ୧୭ ଜଣ କଏଦୀ। ତାମିଲନାଡୁର ଥେନି ଜିଲ୍ଲା କାରାଗାରରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜେଲ୍‌ରୁ ଏତେ ସଂଖ୍ୟକ କଏଦୀ ଖସିଯିବା ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜୟ ଥାଲାପତି। ଏହି ଘଟଣାରେ ଜେଲ୍‌ର ଉପଅଧୀକ୍ଷକ ଏନ୍‌ ରାମଲିଙ୍ଗମଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଏଥିସହ ୧୭ ଜଣ ଜେଲ୍ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।

ସୂଚନା ଅନୁଯାୟୀ, ଜେଲ୍‌ର ସୁରକ୍ଷା ଓ ପ୍ରଶାସନିକ ବ୍ୟବସ୍ଥାରେ ଅବହେଳା କାରଣରୁ ଉପଅଧୀକ୍ଷକ ରାମଲିଙ୍ଗମଙ୍କ ବିରୋଧରେ ଏହି କଠୋର ପଦକ୍ଷେପ ନିଆଯାଇଛି। ୨୦୨୪ ଅଗଷ୍ଟରୁ ସେ ଥେନି ଜିଲ୍ଲା କାରାଗାରରେ କାର୍ଯ୍ୟରତ ଥିଲେ। ନିଲମ୍ବିତ କର୍ମଚାରୀଙ୍କ ବିରୋଧରେ ମଧ୍ୟ ବିଭାଗୀୟ ତଦନ୍ତ ଆଦେଶ ଦିଆଯାଇଛି।

ଅନ୍ୟପଟେ ରାଜ୍ୟର ସମସ୍ତ ଜେଲ୍‌ର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ସହ ନିୟମିତ ଯାଞ୍ଚ ଓ ନିରୀକ୍ଷଣ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଜେଲ୍ ଓ ସୁଧାର ସେବା ବିଭାଗର ଡିଜିପି ଡ. ସନ୍ଦୀପ ରାଠୋରଙ୍କୁ ମଧ୍ୟ ବଦଳି କରାଯାଇଛି।

କେମିତି ଖସିଗଲେ ୧୭ କଏଦୀ?

ଜେଲ୍‌ରୁ ଫେରାର ହେବା ପାଇଁ କଏଦୀମାନେ ଏକ ଚତୁର ଯୋଜନା କରିଥିଲେ। ସୋମବାର ରାତିରେ ଜଣେ କଏଦୀ ହୃଦ୍‌ଘାତ ହୋଇଥିବାର ଅଭିନୟ କରିଥିଲେ। ଏହା ଦେଖି ଜେଲ୍ କର୍ମଚାରୀମାନେ ତାଙ୍କୁ ସହାୟତା କରିବା ପାଇଁ ବାରାକ୍‌ର କବାଟ ଖୋଲିଥିଲେ।

ଠିକ୍ ଏହି ସମୟରେ ଅନ୍ୟ କଏଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରି ତାଙ୍କୁ କାବୁ କରିନେଇଥିଲେ। ପରେ ମୁଖ୍ୟ ଫାଟକର ଚାବି ହାତେଇ ସମସ୍ତ ୧୭ ଜଣ କଏଦୀ ଜେଲ୍‌ରୁ ଚମ୍ପଟ ମାରିଥିଲେ। ଜେଲ୍‌ରୁ ବାହାରିବା ପରେ ସେମାନେ ନିକଟସ୍ଥ ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଇଥିଲେ।

ପରେ ଅରଞ୍ଜାନପୁର ଅଞ୍ଚଳରୁ ବାଇକ୍‌ରେ ଉଥମାପାଲୟମ ଅଭିମୁଖେ ଯାଇଥିଲେ। ରାସ୍ତାରେ ଉମ୍ମାଚିପୁରମ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ମୋବାଇଲ୍ ଫୋନ୍ ନେଇ ନିଜ ସହଯୋଗୀଙ୍କ ସହ ଯୋଗାଯୋଗ କରିଥିଲେ। ସେମାନଙ୍କ ସହଯୋଗରେ ଟଙ୍କା, ପୋଷାକ ଓ ଯାତାୟାତ ପାଇଁ ଗାଡ଼ିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

କଏଦୀଙ୍କୁ ଧରିବାକୁ ୧୭ଟି ପୋଲିସ ଟିମ୍

ଘଟଣା ପରେ ଫେରାର କଏଦୀଙ୍କୁ ଧରିବା ପାଇଁ ତାମିଲନାଡୁ ପୋଲିସ ପକ୍ଷରୁ ବଡ଼ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏଥିପାଇଁ ୧୭ଟି ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା। ଏହା ସହ ପାଞ୍ଚଟି ସ୍ପେଶାଲ ଟାସ୍କ ଫୋର୍ସ ୟୁନିଟ୍ ଏବଂ ତାମିଲନାଡୁ ସ୍ପେଶାଲ ପୋଲିସର ଚାରିଟି ବାଟାଲିୟନକୁ ମଧ୍ୟ ଏହି ଅଭିଯାନରେ ନିୟୋଜିତ କରାଯାଇଥିଲା।

ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରେ କଏଦୀଙ୍କୁ ଖୋଜିବା ପାଇଁ ଡ୍ରୋନ୍‌ର ସହାୟତା ନିଆଯାଇଥିଲା। ଏହି ଘଟଣା ପରେ ତାମିଲନାଡୁର ଜେଲ୍ ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ବଡ଼ ପ୍ରଶ୍ନ ଉଠିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ