ନୂଆ ସିମ୍ କିଣିଲେ ଜେଲ ! ବଦଳି ଗଲା ସିମ କିଣା ନିୟମ : ନମାନିଲେ ଟେକିନେବ ପୋଲିସ

ନୂଆଦିଲ୍ଲୀ, ୨୩/୦୯: ନିଜ ନାଁ ଓ ପରିଚୟପତ୍ରରେ ସିମ୍‌ କାର୍ଡ ନେଇ ପରିବାର ସଦସ୍ୟ କିମ୍ବା ବନ୍ଧୁଙ୍କୁ ବ୍ୟବହାର ପାଇଁ ଦେଉଛନ୍ତି କି? ତେବେ ଏଣିକି ଏପରି କାର୍ଯ୍ୟକୁ ହାଲୁକା ଭାବେ ନେବା ମହଙ୍ଗା ପଡ଼ିପାରେ। ନିଜ ନାଁରେ ଜାରି ହୋଇଥିବା ମୋବାଇଲ୍‌ କନେକ୍ସନ୍‌ର ଅପବ୍ୟବହାର ହେଲେ ମୂଳ ଗ୍ରାହକଙ୍କ ପାଇଁ ମଧ୍ୟ ଆଇନଗତ ଜଟିଳତା ସୃଷ୍ଟି ହୋଇପାରେ।

ଦୂରସଂଚାର ବିଭାଗ (DoT) ମୋବାଇଲ୍‌ ୟୁଜରମାନଙ୍କୁ ସିମ୍‌ କନେକ୍ସନ୍‌ର ଦାୟିତ୍ୱ ନେଇ ସତର୍କ କରିଛି। ବିଶେଷକରି ଠକେଇ, ଜାଲିଆତି ପରିଚୟପତ୍ର, ଅନଧିକୃତ ସିମ୍‌ ଆକ୍ଟିଭେସନ୍‌ ଓ IMEI ନମ୍ବରରେ ହେରଫେର ଭଳି ମାମଲାକୁ ନେଇ ବିଭାଗ କଡ଼ା ଆଭିମୁଖ୍ୟ ନେଇଛି। ରିପୋର୍ଟ ଅନୁସାରେ ଏଭଳି ଉଲ୍ଲଂଘନରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଓ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି।

ସିମ୍‌ ଦେବା ପୂର୍ବରୁ ଭାବନ୍ତୁ

କେହି ନିଜ ପରିଚୟପତ୍ର ବ୍ୟବହାର କରି ସିମ୍‌ ନେଇ ତାହାକୁ ଅନ୍ୟ କାହାକୁ ବ୍ୟବହାର ପାଇଁ ଦେଲେ, ସେହି ନମ୍ବରରେ କୌଣସି ଅପରାଧ ଘଟିଲେ ମାମଲାରେ ନିଜ ନାଁ ଆସିବାର ଆଶଙ୍କା ରହିଥାଏ। ବିଶେଷକରି ସିମ୍‌ ବିକ୍ରି କରିବା, ଭଡ଼ାରେ ଦେବା କିମ୍ବା ଅପରାଧୀଙ୍କୁ ଜାଣିଶୁଣି ବ୍ୟବହାର କରିବାକୁ ଦେବା ଗୁରୁତର ବିଷୟ ହୋଇପାରେ।

ଅନ୍ୟପଟେ ଜାଲି ଡକ୍ୟୁମେଣ୍ଟରେ ସିମ୍‌ ନେବା, ଅନ୍ୟ ବ୍ୟକ୍ତିଙ୍କ ପରିଚୟ ବ୍ୟବହାର କରିବା କିମ୍ବା ଟେଲିକମ୍‌ ପରିଚୟ ସମ୍ପର୍କିତ ତଥ୍ୟରେ ହେରଫେର କରିବାକୁ ନେଇ ମଧ୍ୟ ବିଭାଗ ସତର୍କ କରିଛି।

‘ମ୍ୟୁଲ୍‌ ସିମ୍‌’ କ’ଣ?

ସାଇବର ଠକମାନେ ବେଳେବେଳେ ଅନ୍ୟ ଲୋକଙ୍କ ପରିଚୟପତ୍ରରେ ମୋବାଇଲ୍‌ କନେକ୍ସନ୍‌ ନେଇ ତାହାକୁ ଠକେଇ କିମ୍ବା ଅନ୍ୟ ଅପରାଧରେ ବ୍ୟବହାର କରନ୍ତି। ଏଭଳି ଅପରାଧରେ ବ୍ୟବହୃତ କନେକ୍ସନ୍‌କୁ ସାଧାରଣତଃ ‘ମ୍ୟୁଲ୍‌ ସିମ୍‌’ ବୋଲି କୁହାଯାଏ। ଏଥିପାଇଁ ନିଜ ପରିଚୟରେ ଚାଲୁଥିବା ସମସ୍ତ ମୋବାଇଲ୍‌ ନମ୍ବର ଉପରେ ନଜର ରଖିବା ଜରୁରୀ।

ନିଜ ନାଁରେ କେତୋଟି ସିମ୍‌ ଅଛି, ଏବେ ହିଁ ଯାଞ୍ଚ କରନ୍ତୁ

ସରକାରୀ ଟେଲିକମ୍‌ ସେବାରେ ନିଜ ନାଁରେ ଜାରି ହୋଇଥିବା ମୋବାଇଲ୍‌ କନେକ୍ସନ୍‌ ଯାଞ୍ଚ କରିବାର ସୁବିଧା ରହିଛି। ଏହା ମାଧ୍ୟମରେ ନିଜ ପରିଚୟରେ ଅଜଣା ନମ୍ବର ଚାଲୁଛି କି ନାହିଁ ଜାଣିହେବ। ଅଜଣା କିମ୍ବା ନିଜେ ନେଇନଥିବା କନେକ୍ସନ୍‌ ଦେଖାଗଲେ ତାହାକୁ ଅବହେଳା ନକରି ତୁରନ୍ତ ରିପୋର୍ଟ କରିବାକୁ DoTର ସେବାଗୁଡ଼ିକ ବ୍ୟବହାର କରିପାରିବେ।

ଛତିଶଗଡ଼ ଘଟଣା ପରେ ବଢ଼ିଲା ସତର୍କତା

ଛତିଶଗଡ଼ର ଏକ ଘଟଣାରେ ଜଣେ ସିମ୍‌ ବିକ୍ରେତା ଏଜେଣ୍ଟ ଗ୍ରାହକଙ୍କ ଡକ୍ୟୁମେଣ୍ଟର ଦୁରୁପଯୋଗ କରି ତାଙ୍କ ଅଜାଣତରେ ଅନେକ ସିମ୍‌ ଆକ୍ଟିଭେଟ୍‌ କରିଥିବା ଘଟଣା ସାମ୍ନାକୁ ଆସିଥିଲା। ପରେ ଯାଞ୍ଚ ପ୍ରକ୍ରିୟାରେ ସେହି କନେକ୍ସନ୍‌ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ରିପୋର୍ଟ ହୋଇଛି।

ଏହିପରି ଘଟଣା ସାଇବର ଅପରାଧରେ ମୋବାଇଲ୍‌ ନମ୍ବରର ଅପବ୍ୟବହାର ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ତେଣୁ ନିଜ ନାଁରେ ଥିବା ସିମ୍‌ କାର୍ଡ କାହାକୁ ଦେବା ପୂର୍ବରୁ ଏହାର ଆଇନଗତ ଦାୟିତ୍ୱ ବିଷୟରେ ସଚେତନ ରହିବା ଜରୁରୀ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ