ସମ୍ବଲପୁର: ଲାଞ୍ଚ ନେବାକୁ ଯାଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସମ୍ବଲପୁର ମହୁଲପାଲି ଥାନାର ସବ୍ ଇନ୍ସପେକ୍ଟର ସୁଜିତ ମହନ୍ତଙ୍କୁ ଜେଲ୍ ଯିବାକୁ ପଡ଼ିଛି। ଗୁରୁବାର ଭିଜିଲାନ୍ସ ତାଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଛି।
ସୂଚନା ଅନୁସାରେ, ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ନେବା ସମୟରେ ବୁଧବାର ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା। ଟଙ୍କା ନଦେଲେ ଗିରଫ କରିବାକୁ ଧମକ ଦେବା ସହ ସେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ଲାଞ୍ଚ ମାଗିଥିଲେ। ଭିଜିଲାନ୍ସ ଏସ୍ପି ପ୍ରେସ୍ମିଟ୍ରେ ଏହି ସୂଚନା ଦେଇଛନ୍ତି।
ତେବେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍କୁ ଦେଖି ସୁଜିତ ଖସିଯିବାକୁ ଉଦ୍ୟମ କରିଥିଲେ। ଏଣେତେଣେ ଦୌଡ଼ିବା ପରେ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ପୋଖରୀ ଭିତରକୁ ପଶିଥିଲେ। ଶେଷରେ ଟିମ୍ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲା।
ଏହି ସମୟରେ ଲାଞ୍ଚ ବାବଦକୁ ନିଆଯାଇଥିବା ୧୦ ହଜାର ଟଙ୍କା ପୋଖରୀ ପାଣିରେ ଭାସୁଥିବା ଅବସ୍ଥାରେ ମିଳିଥିଲା। ଭିଜିଲାନ୍ସ ଟିମ୍ ଏହାକୁ ଉଦ୍ଧାର କରି ଜବତ କରିଛି। ଏହା ବ୍ୟତୀତ ସୁଜିତଙ୍କ ସରକାରୀ କ୍ୱାର୍ଟର୍ରୁ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ଏକ ଖାମ୍ରୁ ମିଳିଥିବା ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି।

