ନୂଆଦିଲ୍ଲୀ, ୧୮।୧୧: ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ଏଣିକି ସୋସିଆଲ ମିଡିଆରେ ଅଶ୍ଳୀଳ ଓ ହିଂସାତ୍ମକ ବିଷୟବସ୍ତୁ ଦେଖିବାକୁ ମିଳିବ କମ୍। ଏଥିପାଇଁ ଭାରତରେ ନିଜର କଣ୍ଟେଣ୍ଟ ରେକମେଣ୍ଡେସନ୍ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିଛି ଇନଷ୍ଟାଗ୍ରାମ। ନୂଆ ଏବଂ ଉନ୍ନତ ଏଆଇ ମଡେଲ୍ ସାହାଯ୍ୟରେ ଆପତ୍ତିଜନକ ପୋଷ୍ଟଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ପ୍ରସାର ଉପରେ ରୋକ୍ ଲଗାଇବାକୁ କମ୍ପାନି ଯୋଜନା କରିଛି।
କମ୍ପାନିର କହିବା ଅନୁଯାୟୀ, ନୂଆ ଏଆଇ ସିଷ୍ଟମ୍ ୟୁଜରଙ୍କ ଅଭିଯୋଗକୁ ଅପେକ୍ଷା ନକରି ନିଜେ ଆପତ୍ତିଜନକ ବିଷୟବସ୍ତୁ ଯାଞ୍ଚ କରିବ। ଏହାଦ୍ୱାରା ଅଶ୍ଳୀଳ ଓ ହିଂସାତ୍ମକ ପୋଷ୍ଟ ୟୁଜରଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହିଁ ସେଗୁଡ଼ିକର ପ୍ରଦର୍ଶନକୁ ସୀମିତ କରାଯାଇପାରିବ। ଏହି ନୂଆ ବ୍ୟବସ୍ଥା ଇନଷ୍ଟାଗ୍ରାମର ରିଲ୍ସ, ଏକ୍ସପ୍ଲୋର ଓ ଫିଡ୍ରେ ଲାଗୁ ହେବ।
ବିଶେଷ କଥା ହେଉଛି, ଏହି ପରିବର୍ତ୍ତନର ପ୍ରଭାବ ସେହି ପୋଷ୍ଟଗୁଡ଼ିକ ଉପରେ ଅଧିକ ପଡ଼ିବ, ଯାହାକୁ ୟୁଜର ନିଜେ ଫଲୋ କରୁନାହାନ୍ତି। ଇନଷ୍ଟାଗ୍ରାମର ଆଲଗୋରିଦମ୍ ୟୁଜରଙ୍କ ପସନ୍ଦ ଅନୁଯାୟୀ ଏଭଳି ପୋଷ୍ଟ ସୁପାରିସ କରିଥାଏ। ତେବେ ନୂଆ ନିୟମ ଅନୁଯାୟୀ ଏପରି ବିଷୟବସ୍ତୁର ପ୍ରଦର୍ଶନ ହ୍ରାସ ପାଇବ।
ୟୁଜରଙ୍କ ହାତରେ ରହିବ ନିୟନ୍ତ୍ରଣ
କେବଳ ଏଆଇ ନୁହେଁ, ୟୁଜରମାନଙ୍କୁ ମଧ୍ୟ ନିଜ ପସନ୍ଦ ଅନୁଯାୟୀ କଣ୍ଟେଣ୍ଟ ନିୟନ୍ତ୍ରଣ କରିବାର ସୁବିଧା ମିଳୁଛି। ‘ନଟ୍ ଇଣ୍ଟରେଷ୍ଟେଡ୍’ ବିକଳ୍ପ ଚୟନ କରି ନିଜକୁ ପସନ୍ଦ ଆସୁନଥିବା ପୋଷ୍ଟର ସଂଖ୍ୟା କମାଇପାରିବେ। ସେହିପରି ‘ସେନ୍ସିଟିଭ୍ କଣ୍ଟେଣ୍ଟ କଣ୍ଟ୍ରୋଲ୍’ ଜରିଆରେ ସମ୍ବେଦନଶୀଳ ବିଷୟବସ୍ତୁକୁ ସୀମିତ କରିହେବ। ‘ହିଡନ୍ ୱାର୍ଡସ୍’ ଫିଚର ମାଧ୍ୟମରେ ଅଶାଳୀନ ଶବ୍ଦ ଓ ଆପତ୍ତିଜନକ କମେଣ୍ଟକୁ ମଧ୍ୟ ଫିଲ୍ଟର କରିପାରିବେ।
କିଶୋରଙ୍କ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା
କିଶୋର ବୟସର ୟୁଜରଙ୍କ ସୁରକ୍ଷା ପାଇଁ ଇନଷ୍ଟାଗ୍ରାମ ପୂର୍ବରୁ ହିଁ ‘ଟିନ୍ ଆକାଉଣ୍ଟସ୍’ ବ୍ୟବସ୍ଥା ଆରମ୍ଭ କରିଛି। ଏଥିରେ ୧୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ବୟସ ଅନୁକୂଳ କଣ୍ଟେଣ୍ଟ ସେଟିଂ ରହିଛି। ଏହା ଅନୁଯାୟୀ, କିଶୋରମାନେ କେଉଁ ପ୍ରକାରର ପୋଷ୍ଟ ଦେଖିପାରିବେ, ତାହା ନିୟନ୍ତ୍ରଣ କରାଯାଏ। ଏଥିସହ ସେମାନଙ୍କ ପାଇଁ ଅତିରିକ୍ତ ସୁରକ୍ଷା ନିୟମ ମଧ୍ୟ ଲାଗୁ ହୋଇଛି।
ସରକାରଙ୍କ ନୋଟିସ୍ ପରେ ଆକ୍ସନ୍
ସୂଚନାଯୋଗ୍ୟ, ଇନଷ୍ଟାଗ୍ରାମର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୂର୍ବରୁ ବିବାଦ ଦେଖାଦେଇଥିଲା। ବିବିସିର ଏକ ଅନୁସନ୍ଧାନମୂଳକ ରିପୋର୍ଟରେ ଭାରତରେ ଇନଷ୍ଟାଗ୍ରାମ ଶିଶୁ ଯୌନଶୋଷଣ ସହ ଜଡ଼ିତ ବିଜ୍ଞାପନ ପ୍ରଦର୍ଶନ କରୁଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଏହାପରେ ଜୁଲାଇ ମାସରେ କେନ୍ଦ୍ର ସରକାର ଇନଷ୍ଟାଗ୍ରାମର ମୂଳ କମ୍ପାନି ମେଟାକୁ ନୋଟିସ୍ ଜାରି କରି ଜବାବ ମାଗିଥିଲେ।
ପରେ ଅକ୍ଟୋବର ୧୦ ତାରିଖରେ ମେଟାର ଇନଷ୍ଟାଗ୍ରାମ ଓ ଫେସବୁକ୍ର କଣ୍ଟେଣ୍ଟ ରେକମେଣ୍ଡେସନ୍ ସିଷ୍ଟମ୍ ଏବଂ ଆଲଗୋରିଦମ୍ର ସମୀକ୍ଷା କରିବାକୁ ସରକାର କହିଥିଲେ। ଏହାପରେ କମ୍ପାନି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।
କ’ଣ ଏହି ଆଲଗୋରିଦମ୍?
ସୋସିଆଲ ମିଡିଆରେ ଆଲଗୋରିଦମ୍ ହେଉଛି ଏକ ବ୍ୟବସ୍ଥା, ଯାହା ୟୁଜରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖେ। କେଉଁ ପୋଷ୍ଟ ଦେଖୁଛନ୍ତି, କାହାର ଭିଡିଓକୁ ଲାଇକ୍ କରୁଛନ୍ତି ଏବଂ କେଉଁ ବିଷୟବସ୍ତୁରେ ଅଧିକ ସମୟ ବିତାଉଛନ୍ତି, ସେସବୁକୁ ଆଧାର କରି ଆଲଗୋରିଦମ୍ ୟୁଜରଙ୍କ ପସନ୍ଦ ବୁଝିଥାଏ। ଏହାପରେ ସେହି ଅନୁଯାୟୀ ନୂଆ ପୋଷ୍ଟ ଓ ଭିଡିଓ ସୁପାରିସ କରେ। ତେବେ ନୂଆ ଏଆଇ ବ୍ୟବସ୍ଥା ଯୋଗୁଁ ଏହି ସୁପାରିସ ପ୍ରକ୍ରିୟାରେ ଏବେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି।

