ବଜାରରେ ନକଲି ସୁନା : ଜଣା ପଡୁନି, ଠକାମୀରେ ପଡ଼ିବେ ଗ୍ରାହକ

ନୂଆଦିଲ୍ଲୀ, ୨୩।୧୧: ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି ଏକ ନୂଆ ଅଭିଯୋଗ। ୨୨ କ୍ୟାରେଟ୍ ସୁନା ନାଁରେ ଗ୍ରାହକଙ୍କୁ ୨୦ କ୍ୟାରେଟ୍‌ର ଅଳଙ୍କାର ବିକ୍ରି କରାଯାଉଥିବା ଆଶଙ୍କା ଦେଖାଦେଇଛି। ଏଥିପାଇଁ ସୁନାରେ ମିଶାଯାଉଛି ରେନିୟମ୍ ନାମକ ଏକ ଦୁର୍ଲଭ ଧାତୁ। ଏହାକୁ ନେଇ ଦେଶର ହଲମାର୍କିଂ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ରାଜସ୍ଥାନର ଯୋଧପୁରରେ ହୋଇଥିବା ଏକ ଅନୁସନ୍ଧାନମୂଳକ ପରୀକ୍ଷଣରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପରୀକ୍ଷଣରେ ୭.୮୩ ଗ୍ରାମ ଶୁଦ୍ଧ ସୁନା ସହ ୧ ଗ୍ରାମ ରେନିୟମ୍ ପାଉଡର ମିଶାଯାଇଥିଲା। ପରେ ଅନ୍ୟ ଧାତୁ ମିଶାଇ ମୋଟ ୯.୫୮ ଗ୍ରାମର ଏକ ଅଳଙ୍କାର ତିଆରି କରାଯାଇଥିଲା।

ଆଶ୍ଚର୍ଯ୍ୟର କଥା, ଏହି ଅଳଙ୍କାରର ପ୍ରକୃତ ସୁନାର ଶୁଦ୍ଧତା ୨୦ କ୍ୟାରେଟ୍ ଥିବା ସତ୍ତ୍ୱେ ବିଭିନ୍ନ ପରୀକ୍ଷଣ କେନ୍ଦ୍ରରେ ଏହାକୁ ୨୨ କ୍ୟାରେଟ୍ ବୋଲି ଦର୍ଶାଯାଇଥିଲା। ଏପରିକି ଏହାକୁ ୯୧୬ ବିଆଇଏସ୍ ହଲମାର୍କ ମିଳିଥିବା ମଧ୍ୟ ଦାବି କରାଯାଇଛି। ଏହା ସତ ହୋଇଥିଲେ ସୁନାର ଶୁଦ୍ଧତା ଯାଞ୍ଚ ବ୍ୟବସ୍ଥାରେ ବଡ଼ ତ୍ରୁଟି ଥିବା ସ୍ପଷ୍ଟ ହେବ।

କ’ଣ ଏହି ରେନିୟମ୍?

ରେନିୟମ୍ ହେଉଛି ଏକ ବିରଳ ଓ ଅତ୍ୟଧିକ ଘନତ୍ୱ ବିଶିଷ୍ଟ ଧାତୁ। ଏହାର ଘନତ୍ୱ ସୁନାଠାରୁ ମଧ୍ୟ ଅଧିକ। ତେଣୁ ଏହାକୁ ମିଶାଇ ଅଳଙ୍କାରର ଓଜନ ବଢ଼ାଯାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ରେନିୟମ୍ ପ୍ରାୟ ୩୧୦୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ତରଳୁଥିବାରୁ ସାଧାରଣ ଅଳଙ୍କାର ତିଆରି ପ୍ରକ୍ରିୟାରେ ଏହାକୁ କିପରି ମିଶାଯାଇପାରିବ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ଅଭିଯୋଗର ସ୍ୱାଧୀନ ଓ ବୈଜ୍ଞାନିକ ଯାଞ୍ଚ ଆବଶ୍ୟକ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ହଲମାର୍କିଂ ବ୍ୟବସ୍ଥା ଉପରେ ପ୍ରଶ୍ନ

ଏହି ଘଟଣା ପରେ ଇଣ୍ଡିଆନ୍ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ପକ୍ଷରୁ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ନିକଟରେ ହଲମାର୍କିଂ ବ୍ୟବସ୍ଥାର କଡ଼ା ଯାଞ୍ଚ ପାଇଁ ଦାବି କରାଯାଇଛି। ଏଥିସହ ଏଭଳି ଅନିୟମିତତାକୁ ରୋକିବା ପାଇଁ ମଧ୍ୟ ଦାବି ହୋଇଛି। ପ୍ରସଙ୍ଗର ଗମ୍ଭୀରତାକୁ ଦେଖି ବିଆଇଏସ୍ ଏକ ଜରୁରୀ ବୈଠକ ଡାକିଛି।

ବିଶେଷଜ୍ଞଙ୍କ ମତରେ, କେବଳ ଏକ୍ସଆରଏଫ୍ (XRF) ମେସିନ୍ ଦ୍ୱାରା ସୁନାର ଶୁଦ୍ଧତା ଯାଞ୍ଚ କରିବା ଯଥେଷ୍ଟ ନୁହେଁ। କାରଣ ଏହି ମେସିନ୍ ମୁଖ୍ୟତଃ ଅଳଙ୍କାରର ବାହାର ପୃଷ୍ଠରେ ଥିବା ଧାତୁର ଉପାଦାନ ଯାଞ୍ଚ କରିଥାଏ। ଅଳଙ୍କାର ଭିତରେ ପ୍ରକୃତରେ କେତେ ପରିମାଣର ସୁନା ରହିଛି, ତାହା ଜାଣିବା ପାଇଁ ଅଧିକ ନିର୍ଭରଯୋଗ୍ୟ ପରୀକ୍ଷଣ ପଦ୍ଧତିର ଆବଶ୍ୟକତା ରହିଛି।

ଏହି ଘଟଣା ସୁନା କିଣୁଥିବା ଗ୍ରାହକଙ୍କ ମନରେ ଭୟ ସୃଷ୍ଟି କରିଛି। ତେଣୁ ହଲମାର୍କ ଥିଲେ ମଧ୍ୟ ସୁନାର ଶୁଦ୍ଧତା ନେଇ ଯେପରି କୌଣସି ଠକାମି ନହୁଏ, ସେଥିପାଇଁ ଯାଞ୍ଚ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା ଜରୁରୀ ହୋଇପଡ଼ିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ