ଭୁବନେଶ୍ୱର, ୭/୧୧: ବନ୍ୟା ବିପନ୍ନଙ୍କ ଦୁଃଖରେ ସାମିଲ ହେବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଲୋକେ ଦୁର୍ଦ୍ଦଶାରେ ଥିବାରୁ ଚଳିତ ବର୍ଷ ଦୀପାବଳି ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ।
ନବୀନ କହିଛନ୍ତି, ବାତ୍ୟା ଅର୍ଣ୍ଣବ ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି। ଅନେକ ଲୋକ ଘରଦ୍ୱାର ହରାଇବା ସହ ଅତ୍ୟନ୍ତ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଏଭଳି ଦୁଃଖଦ ସମୟରେ ସେମାନଙ୍କ ସହ ଠିଆ ହେବା ଆମର ଦାୟିତ୍ୱ।
ସେହିପରି କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ମାଟି ତଳେ ଚାପି ହୋଇ ନିଖୋଜ ଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଏଭଳି ପରିସ୍ଥିତିରେ ଉତ୍ସବ ପାଳନ କରିବା ଉଚିତ୍ ନୁହେଁ ବୋଲି ମତ ରଖିଛନ୍ତି ନବୀନ।
ଉଲ୍ଲେଖଯୋଗ୍ୟ, ବନ୍ୟା ପ୍ରଭାବିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରୁଛନ୍ତି ନବୀନ ପଟ୍ଟନାୟକ। ବିପନ୍ନଙ୍କୁ ଭେଟି ସେମାନଙ୍କ ସମସ୍ୟା ଓ ଦୁର୍ଦ୍ଦଶା ସମ୍ପର୍କରେ ଅବଗତ ହେଉଛନ୍ତି।

