ବାଲେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ସବ୍-ରେଜିଷ୍ଟ୍ରାର। ଜମି ପଞ୍ଜୀକରଣ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବାଲିଆପାଳର ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଧରିଛି ଭିଜିଲାନ୍ସ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ବାଲିଆପାଳ ଅଞ୍ଚଳର ଜ୍ଞାନ ରଞ୍ଜନ ପାତ୍ର ନିଜ ଜମିର ବିକ୍ରୟ କବଲା ପଞ୍ଜୀକରଣ ପାଇଁ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କ ନିକଟକୁ ଯାଇଥିଲେ। ଏହି କାମ କରାଇବା ପାଇଁ ମନୀଷା ପ୍ରଥମେ ୧୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି। ପରେ ଆଲୋଚନା ପରେ ୭ ହଜାର ଟଙ୍କାରେ କଥା ଛିଣ୍ଡିଥିଲା।
ଏହାପରେ ଜ୍ଞାନ ରଞ୍ଜନ ବାରିପଦା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସର ଏକ ୮ ଜଣିଆ ଟିମ୍ ଯୋଜନା ମୁତାବକ ଚଢ଼ଉ କରିଥିଲା। ନିର୍ଦ୍ଧାରିତ ଟଙ୍କା ଗ୍ରହଣ କରୁଥିବା ସମୟରେ ମନୀଷାଙ୍କୁ ଧରିଥିଲା ଟିମ୍। ତାଙ୍କଠାରୁ ସମସ୍ତ ୭ ହଜାର ଟଙ୍କା ଜବତ କରାଯାଇଛି।
ଅନ୍ୟପଟେ ମନୀଷା ମିଶ୍ର ୨୦୨୪ ମସିହାରେ ଚାକିରିରେ ଯୋଗ ଦେଇଥିବା ବେଳେ ଏବେ ମଧ୍ୟ ପ୍ରୋବେସନ୍ରେ ଥିବା ସୂଚନା ମିଳିଛି। ସେ ବାଲିଆପାଳରେ ପ୍ରାୟ ୮ ମାସ ଧରି ସବ୍-ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରୁଥିଲେ। ଚାକିରି ଜୀବନର ଆରମ୍ଭରୁ ଏଭଳି ଲାଞ୍ଚ ଅଭିଯୋଗ ଆସିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

