ଭୁବନେଶ୍ୱର, ୫/୧୧ : କୋଟିଆକୁ ନେଇ ଓଡ଼ିଶା ରାଜନୀତିରେ ତେଜିଲା ବୟାନବାଜି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିବା ପରେ ଏହାକୁ ନେଇ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନବୀନଙ୍କ ୨୪ ବର୍ଷର ଶାସନକାଳ ଏବଂ ଏନଡିଏ ସହ ତାଙ୍କର ପୂର୍ବ ସମ୍ପର୍କକୁ ମନେ ପକାଇ ସମାଲୋଚନା କରିଛନ୍ତି ପ୍ରଭାତୀ।
ପ୍ରଭାତୀ କହିଛନ୍ତି, ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଶାସନ କରିଥିଲେ। ଏହା ମଧ୍ୟରୁ ୯ ବର୍ଷ ସେ ଏନଡିଏର ସହଯୋଗୀ ଥିଲେ। ଏତେ ବର୍ଷ ଧରି ଶାସନ କରିବା ପରେ ଏବେ ଚିଠି ଲେଖିବାର ବିଷୟବସ୍ତୁ ବୋଧହୁଏ ବୁଝିପାରିଲେ ନା ଅନ୍ୟ କେହି ବୁଝାଇଦେଲେ ବୋଲି ପ୍ରଶ୍ନ କରିଛନ୍ତି।
ଏଥିସହ ମୋହନ ମାଝୀ ସରକାରଙ୍କ ପଦକ୍ଷେପ ଯୋଗୁଁ ଏବେ କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ପ୍ରସଙ୍ଗରେ ଲଢ଼େଇ କରୁଛି ଏବଂ ସଫଳତା ହାସଲ କରୁଛି ବୋଲି ସେ ଦାବି କରିଛନ୍ତି। ପୂର୍ବ ସରକାର ସମୟରେ ନବୀନ ଏହି ପ୍ରସଙ୍ଗରେ ନିରବ ରହିଥିଲେ କି ବୋଲି ମଧ୍ୟ ପ୍ରଭାତୀ ପ୍ରଶ୍ନ ଉଠାଇଛନ୍ତି। ବିଜେପିର ନିର୍ବାଚନୀ ଇସ୍ତାହାରରେ କୋଟିଆକୁ ନେଇ ଥିବା ପ୍ରତିଶ୍ରୁତି ଏବେ ହଠାତ୍ ନବୀନଙ୍କ ମନେ ପଡ଼ିଲା କିପରି ବୋଲି ସେ କଟାକ୍ଷ କରିଛନ୍ତି।
ସୂଚନାଯୋଗ୍ୟ, କୋଟିଆରେ ଆନ୍ଧ୍ରପ୍ରଦେଶର ହସ୍ତକ୍ଷେପ ଏବଂ ନିର୍ବାଚନ ଆୟୋଜନକୁ ନେଇ ଚିନ୍ତା ପ୍ରକାଶ କରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏଥିରେ ୨୦୨୪ ବିଜେପି ନିର୍ବାଚନୀ ଇସ୍ତାହାରରେ କୋଟିଆକୁ ନେଇ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ସେ ମନେ ପକାଇଥିଲେ।
ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ଯେ, ଅକ୍ଟୋବର ୧୯ରେ ସେ ଲେଖିଥିବା ପୂର୍ବ ଚିଠି ଏବଂ ଅକ୍ଟୋବର ୨୭ରେ ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତର ପରେ ମଧ୍ୟ କୋଟିଆର ପରିସ୍ଥିତିରେ ସୁଧାର ଆସିନାହିଁ। ବରଂ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନା ଏବଂ ମୁହାଁମୁହିଁ ସ୍ଥିତି ବଢ଼ୁଥିବା ନେଇ ଖବର ମିଳୁଛି।
ଏହାସହ କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ କରିବାକୁ ଯାଉଥିବା ଘଟଣାକୁ ନେଇ ନବୀନ ଉଦବେଗ ପ୍ରକାଶ କରିଥିଲେ। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିବାକୁ ସେ ମୋହନ ମାଝୀଙ୍କୁ ଅନୁରୋଧ କରିଥିଲେ।
ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଓ ରାଜ୍ୟର ସ୍ୱାର୍ଥର ସୁରକ୍ଷା ପାଇଁ ତୁରନ୍ତ ଠୋସ୍ ପଦକ୍ଷେପ ନେବାକୁ ମଧ୍ୟ ନବୀନ ଦାବି କରିଥିଲେ। ତେବେ ନବୀନଙ୍କ ଚିଠି ପରେ ପ୍ରଭାତୀଙ୍କ ପ୍ରତିକ୍ରିୟା ଏବେ ରାଜ୍ୟ ରାଜନୀତିରେ କୋଟିଆ ପ୍ରସଙ୍ଗକୁ ନେଇ ନୂଆ ରାଜନୈତିକ ତର୍କ ଆରମ୍ଭ କରିଛି।

