ଭାଙ୍ଗିଲା ଗର୍ବ : ଗଧ ଭଳି ହାରିଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ ଡିସି, ୫/୧୧ : ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିକୁ ବଡ଼ ଝଟକା ଲାଗିଛି। ବହୁମତ ହାସଲ କରିବାରେ ଦଳ ବିଫଳ ହୋଇଥିବାବେଳେ ବିରୋଧୀ ଡେମୋକ୍ରାଟ୍ସ ଦଳର ପ୍ରଦର୍ଶନ ଭଲ ରହିଛି। ଇରାନ ସହ ଯୁଦ୍ଧ, ତୈଳ ଦର ବୃଦ୍ଧି ଏବଂ ଦେଶରେ ମୁଦ୍ରାସ୍ଫୀତିକୁ ଏହି ପରାଜୟର ପ୍ରମୁଖ କାରଣ ବୋଲି ସ୍ୱୀକାର କରିଛନ୍ତି ନିଜେ ଟ୍ରମ୍ପ।

ନିର୍ବାଚନ ଫଳାଫଳ ପରେ ପ୍ରଥମଥର ପାଇଁ ନିଜର ମତ ରଖିଛନ୍ତି ଆମେରିକା ରାଷ୍ଟ୍ରପତି। ଇରାନ ଯୁଦ୍ଧ ଯୋଗୁ ଇନ୍ଧନ ଦର ବଢ଼ିବା ଏବଂ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବା ରିପବ୍ଲିକାନ ପାର୍ଟିର ନିର୍ବାଚନୀ ପ୍ରଦର୍ଶନକୁ ପ୍ରଭାବିତ କରିଥାଇପାରେ ବୋଲି ସେ କହିଛନ୍ତି। ଏଥିସହ ଇମିଗ୍ରେସନ ପ୍ରସଙ୍ଗରେ ଡେମୋକ୍ରାଟ୍ସଙ୍କ ସହ ମିଶି କାମ କରିବାକୁ ମଧ୍ୟ ଟ୍ରମ୍ପ ଇଚ୍ଛା ପ୍ରକାଶ କରିଛନ୍ତି।

ନିର୍ବାଚନ ପରାଜୟକୁ ନେଇ ଟ୍ରମ୍ପ କହିଛନ୍ତି ଯେ, ଡେମୋକ୍ରାଟ୍ସ ଭଲ ପ୍ରଦର୍ଶନ କରିଛନ୍ତି। ହଠାତ୍ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଁ ଆମେରିକୀୟ ଜନତା ପ୍ରସ୍ତୁତ ନଥିଲେ। ତେଣୁ ନିର୍ବାଚନରେ ଏହାର ପ୍ରଭାବ ପଡ଼ିଥାଇପାରେ। ଜନମତକୁ ସମ୍ମାନ ଜଣାଇ ସେ ନିର୍ବାଚନ ଫଳାଫଳକୁ ସ୍ୱୀକାର କରୁଥିବା କହିଛନ୍ତି।

ଅନ୍ୟପଟେ ବିରୋଧୀଙ୍କ ସହ ମିଶି କାମ କରିବାକୁ ଟ୍ରମ୍ପ ରାଜି ଥିଲେ ମଧ୍ୟ ଡେମୋକ୍ରାଟ୍ସଙ୍କ ସମସ୍ତ ପ୍ରସ୍ତାବକୁ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତାଙ୍କ ମତରେ, ବିରୋଧୀ ଦଳ ଯଦି ଅଯୌକ୍ତିକ ପ୍ରସ୍ତାବ ଆଣନ୍ତି, ତେବେ ସେ ରାଷ୍ଟ୍ରପତିଙ୍କ ଭିଟୋ କ୍ଷମତା ପ୍ରୟୋଗ କରି ତାହାକୁ ରୋକିବେ।

ନିର୍ବାଚନରେ ଦଳର ପରାଜୟ ସତ୍ତ୍ୱେ ନିଜ କ୍ୟାବିନେଟରେ କୌଣସି ବଡ଼ ପରିବର୍ତ୍ତନ କରିବାର ଯୋଜନା ନଥିବା ଟ୍ରମ୍ପ କହିଛନ୍ତି। ଏଥିସହ ଯଦି ସେ ନିଜେ ନିର୍ବାଚନ ମଇଦାନରେ ପ୍ରାର୍ଥୀ ଭାବେ ରହିଥାନ୍ତେ, ତେବେ ରିପବ୍ଲିକାନ ପାର୍ଟି ବିପୁଳ ବିଜୟ ହାସଲ କରିଥାନ୍ତା ବୋଲି ଦାବି କରିଛନ୍ତି।

ନିଜ ସୋଶାଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋଶାଲ’ରେ ଏକ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି, ସେ ନିର୍ବାଚନର ବାଲଟରେ ନଥିଲେ। ଯଦି ସେ ପ୍ରାର୍ଥୀ ହୋଇଥାନ୍ତେ, ତେବେ ତାଙ୍କ ଦଳ ବଡ଼ ବିଜୟ ହାସଲ କରିଥାନ୍ତା।

ଏହାସହ ନିର୍ବାଚନରେ କେଉଁ ପ୍ରାର୍ଥୀ କାହିଁକି ଜିତିଲେ ଏବଂ କିଏ କାହିଁକି ପରାଜିତ ହେଲେ, ସେନେଇ ରାଜନୈତିକ ବିଶ୍ଳେଷଣ କରିବେ ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି।

ସୂଚନାଯୋଗ୍ୟ, ଏନବିସି ନ୍ୟୁଜର ରିପୋର୍ଟ ଅନୁସାରେ, ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ଡେମୋକ୍ରାଟ୍ସ ଦଳ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ ଓ ସିନେଟରେ ବହୁମତ ହାସଲ କରିଛି। ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭରେ ଡେମୋକ୍ରାଟ୍ସଙ୍କୁ ୨୫୯ଟି ଆସନ ମିଳିପାରେ। ଅନ୍ୟପଟେ ରିପବ୍ଲିକାନ ପାର୍ଟି ୧୭୮ଟି ଆସନରେ ସୀମିତ ରହିବା ନେଇ ଆକଳନ କରାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ