ଭୁବନେଶ୍ୱର, ୫/୧୧ : ଦୁର୍ବଳ ହେଲା ବାତ୍ୟା ମୁରାସୁ। ବାତ୍ୟାର ଶକ୍ତି କମିବା ପରେ ଏହା ଏବେ ଏକ ସ୍ପଷ୍ଟ ଚିହ୍ନଟ ଲଘୁଚାପରେ ପରିଣତ ହୋଇଛି। ଗୁରୁବାର ରାତି ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ତେଲେଙ୍ଗାନା ଓ ଆନ୍ଧ୍ର ଉପକୂଳ ଅଞ୍ଚଳରେ ରହିବ। ଏହାର ପ୍ରଭାବରେ ବୁଧବାର ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ। ତେବେ ପ୍ରତିଦିନ କିଛି କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। କଟକ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ।
ସେହିପରି ନଭେମ୍ବର ୬ ଓ ୭ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନ ସହ ଏହାର ପାଖ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଅନ୍ୟପଟେ ନଭେମ୍ବର ୮ ତାରିଖରୁ ରାଜ୍ୟରେ ପାଗ ଶୁଖିଲା ରହିବ। ଆସନ୍ତା ଦୁଇ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। କିନ୍ତୁ ଏହାପରେ ଆସନ୍ତା ୫ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ଫଳରେ ରାଜ୍ୟରେ ଧୀରେ ଧୀରେ ଶୀତ ଅନୁଭୂତ ହେବ।

