ଦୁଇରୁ ଅଧିକ ସନ୍ତାନ ଥିଲେ ନିର୍ବାଚନ ଲଢ଼ିବା ମନା ଆଇନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ

ନୂଆଦିଲ୍ଲୀ, ୫/୧୧ : ଦୁଇରୁ ଅଧିକ ସନ୍ତାନ ଥିଲେ ପଞ୍ଚାୟତ କିମ୍ବା ସ୍ଥାନୀୟ ନିର୍ବାଚନ ଲଢ଼ିବାକୁ ମିଳିବନି। ଏଭଳି ନିୟମ ଉପରେ ଏବେ ପୁନର୍ବିଚାର କରିବାର ସମୟ ଆସିଛି। ଦେଶରେ ହ୍ରାସ ପାଉଥିବା ପ୍ରଜନନ ହାର ଏବଂ ବଦଳୁଥିବା ଜନସଂଖ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆଇନର ପ୍ରାସଙ୍ଗିକତା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ବୁଧବାର ଏକ ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଏଭଳି ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ଯେଉଁ ସମୟରେ ଦେଶରେ ଜନସଂଖ୍ୟା ବିସ୍ଫୋରଣକୁ ନେଇ ଚିନ୍ତା ରହିଥିଲା, ସେତେବେଳେ ଏଭଳି ଆଇନର ଆବଶ୍ୟକତା ଅନୁଭବ କରାଯାଇଥିଲା। କିନ୍ତୁ ଗତ କିଛି ଦଶନ୍ଧି ମଧ୍ୟରେ ଦେଶର ଜନସଂଖ୍ୟାଗତ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଘଟିଛି। ତେଣୁ ବର୍ତ୍ତମାନ ସମୟରେ ଏହି ନିୟମ କେତେଦୂର ଯୁକ୍ତିଯୁକ୍ତ, ତାହାର ସମୀକ୍ଷା ହେବା ଜରୁରୀ।

ଏଥିସହ ୨୦୦୩ ମସିହାର ‘ଜାଭେଦ ବନାମ ହରିୟାଣା ରାଜ୍ୟ’ ମାମଲାକୁ ବୃହତ୍ତର ଖଣ୍ଡପୀଠଙ୍କ ନିକଟକୁ ପଠାଇଛନ୍ତି ସୁପ୍ରିମକୋର୍ଟ। ଉଲ୍ଲେଖଯୋଗ୍ୟ, ୨୦୦୩ରେ ତିନିଜଣିଆ ଖଣ୍ଡପୀଠ ହରିୟାଣା ପଞ୍ଚାୟତିରାଜ ଅଧିନିୟମ, ୧୯୯୪ର ବୈଧତାକୁ ବଜାୟ ରଖିଥିଲେ। ଏହି ଆଇନ ଅନୁଯାୟୀ, ଦୁଇରୁ ଅଧିକ ଜୀବିତ ସନ୍ତାନ ଥିବା ବ୍ୟକ୍ତି ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ହୋଇଥାନ୍ତି।

ଜଷ୍ଟିସ ପିଏସ୍ ନରସିହ୍ନା ଏବଂ ଜଷ୍ଟିସ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଦେଶର ପ୍ରଜନନ ହାରକୁ ନେଇ ମଧ୍ୟ ଉଦାହରଣ ଦେଇଛନ୍ତି। ୨୦୦୩ରେ ଭାରତର ମୋଟ ପ୍ରଜନନ ହାର ୩ ଥିବାବେଳେ ଏବେ ଏହା ହ୍ରାସ ପାଇ ୧.୯ରେ ପହଞ୍ଚିଛି। ସାଧାରଣତଃ ୨.୧ ପ୍ରଜନନ ହାରକୁ ଜନସଂଖ୍ୟାର ପ୍ରତିସ୍ଥାପନ ହାର ବୋଲି ଧରାଯାଏ।

ଖଣ୍ଡପୀଠଙ୍କ ମତରେ, ଦୁଇରୁ ଅଧିକ ସନ୍ତାନ ଥିବା କାରଣରୁ ନିର୍ବାଚନ ଲଢ଼ିବା ଉପରେ କଟକଣା ଲଗାଇବା ଦ୍ୱାରା ସମାଜର ଏକ ବର୍ଗ ରାଜନୈତିକ ପ୍ରତିନିଧିତ୍ୱରୁ ବଞ୍ଚିତ ହୋଇଥାନ୍ତି। ଏଭଳି ନିୟମ ଜଣେ ବ୍ୟକ୍ତିଙ୍କୁ ପରିବାର ବୃଦ୍ଧି କରିବା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେବା ମଧ୍ୟରୁ ଗୋଟିଏ ବାଛିବାକୁ ବାଧ୍ୟ କରିପାରେ। ଏହା ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ପ୍ରଜନନ ସମ୍ପର୍କିତ ନିଷ୍ପତ୍ତି ନେବାର ସ୍ୱାଧୀନତା ଉପରେ ପ୍ରଭାବ ପକାଇପାରେ ବୋଲି କୋର୍ଟ ମତ ଦେଇଛନ୍ତି।

ଅନ୍ୟପଟେ ଏହି ମାମଲାରେ ମହାରାଷ୍ଟ୍ରର କାକୋଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ମଙ୍ଗଲା ଭୀମରାଓଙ୍କୁ ଆଶ୍ୱସ୍ତି ମିଳିଛି। ତୃତୀୟ ସନ୍ତାନ ଜନ୍ମ ହେବା ପରେ ମହାରାଷ୍ଟ୍ର ଗ୍ରାମ ପଞ୍ଚାୟତ ଅଧିନିୟମ, ୧୯୫୯ର ଧାରା ୧୪(୧)(ଜେ-୧) ଅନୁଯାୟୀ ତାଙ୍କୁ ପଦ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏବେ ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ