ନୂଆଦିଲ୍ଲୀ, ୪/୧୧: ଗୋଟିଏ ବାତ୍ୟାର ପ୍ରଭାବ ସମ୍ପୂର୍ଣ୍ଣ ଦୂର ନ ହେଉଣୁ ବଙ୍ଗୋପସାଗରରେ ପୁଣି ଏକ ନୂଆ ପାଣିପାଗୀୟ ସିଷ୍ଟମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବାତ୍ୟା ଅର୍ଣ୍ଣାବ ପରେ ମୁରାସୁ ଆସିଥିବାବେଳେ ଏବେ ନଭେମ୍ବର ମଧ୍ୟଭାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ପ୍ରାକ୍ ଆକଳନ କରାଯାଉଛି।
ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଜିଏଫ୍ଏସ୍ର ପ୍ରାଥମିକ ଆକଳନ ଅନୁସାରେ, ନଭେମ୍ବର ୧୬ରୁ ୧୭ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ନୂଆ ସିଷ୍ଟମ ସୃଷ୍ଟି ହୋଇ ଭାରତୀୟ ଉପକୂଳ ଆଡ଼କୁ ମୁହାଁଇପାରେ। ଏହା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟ ଦେଇ ବାଂଲାଦେଶ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହି ସିଷ୍ଟମ ପ୍ରଭାବରେ ଓଡ଼ିଶାରେ ପୁଣି ଥରେ ବର୍ଷା ବଢ଼ିପାରେ।
ସେହିପରି ଆନ୍ତର୍ଜାତିକ ପାଣିପାଗ ସଂସ୍ଥା ଆକ୍ୟୁୱେଦରର ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ମଧ୍ୟ ବଙ୍ଗୋପସାଗରରେ ନଭେମ୍ବର ୧୨ରୁ ୧୬ ମଧ୍ୟରେ ଏକ ନୂଆ ସିଷ୍ଟମ ସୃଷ୍ଟି ହେବାର ସଙ୍କେତ ଦେଇଛନ୍ତି। ତେବେ ଏ ସମ୍ପର୍କରେ ସମସ୍ତ ପାଣିପାଗ ମଡେଲ୍ ଏପର୍ଯ୍ୟନ୍ତ ଏକମତ ହୋଇନାହାନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମଧ୍ୟ ଏନେଇ କୌଣସି ଆଧିକାରିକ ପୂର୍ବାନୁମାନ ଜାରି କରିନାହିଁ। ତେଣୁ ଏବେଠାରୁ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ।
ଅନ୍ୟପଟେ ସୋମବାର ବିଳମ୍ବିତ ରାତିରେ ବାତ୍ୟା ମୁରାସୁ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁଛି। ଏହାର ପ୍ରଭାବ ଓଡ଼ିଶାରେ ବିଶେଷ ଭାବେ ଅନୁଭୂତ ହୋଇନାହିଁ। କେତେକ ଜିଲ୍ଲାରେ ଆକାଶ ମେଘୁଆ ରହିଥିବାବେଳେ ଅଳ୍ପ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି।
ପାଣିପାଗ ଆକଳନ ଅନୁସାରେ, ମୁରାସୁ ଧୀରେ ଧୀରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ। ବୁଧବାର ସକାଳ ସୁଦ୍ଧା କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିବା ସହ ଝଟକା ପବନ ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
ଏଥିସହ ଉପକୂଳ ଓଡ଼ିଶା ଓ ଏହାର ପାଖ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ନଭେମ୍ବର ୪ ତାରିଖରେ କେତେକ ସ୍ଥାନରେ ବର୍ଷା ସହ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବଜ୍ରପାତ ଏବଂ ପବନ ହୋଇପାରେ। ସେହିପରି ୫ ଓ ୬ ତାରିଖରେ ମଧ୍ୟ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ତେବେ ନଭେମ୍ବର ମଧ୍ୟଭାଗରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ସିଷ୍ଟମର ଗତିପଥ ଓ ତୀବ୍ରତା ଉପରେ ଏବେ ନଜର ରହିଛି। ଆଗାମୀ ଦିନରେ ପାଣିପାଗ ମଡେଲ୍ଗୁଡ଼ିକର ଆକଳନରେ ପରିବର୍ତ୍ତନ ହୋଇପାରେ।

