ଭାରତ-ଇସ୍ରାଏଲ ଘନିଷ୍ଠତାକୁ ନେଇ ଛାନିଆ ପାକିସ୍ତାନ! ମୁନୀରଙ୍କ ବୟାନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତ ଓ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ରଣନୈତିକ ସମ୍ପର୍କକୁ ନେଇ ପାକିସ୍ତାନରେ ଚିନ୍ତା ବଢ଼ିଥିବା ଚର୍ଚ୍ଚା ହେଉଛି। ଏହି ପ୍ରସଙ୍ଗରେ ପାକିସ୍ତାନ ସେନାମୁଖ୍ୟ ଅସିମ ମୁନୀର ଏକ ବୈଠକରେ ନିଜର ଉଦ୍‌ବେଗ ପ୍ରକାଶ କରିଥିବା ଦାବି କରିଛନ୍ତି ଇରାନର ବରିଷ୍ଠ ସୁରକ୍ଷା ଅଧିକାରୀ ମୋହସେନ ରେଜାଏ। ହିନ୍ଦୁ ଓ ୟହୂଦୀଙ୍କ ମଧ୍ୟରେ ବଢ଼ୁଥିବା ଘନିଷ୍ଠତା ମୁସଲମାନ ଜଗତ ଏବଂ ପାକିସ୍ତାନ ପାଇଁ ବିପଦ ହୋଇପାରେ ବୋଲି ମୁନୀର କହିଥିବା ରେଜାଏ ଦାବି କରିଛନ୍ତି।

ପାକିସ୍ତାନର ଗଣମାଧ୍ୟମ 24 News HDର ରିପୋର୍ଟ ଅନୁସାରେ, ଅକ୍ଟୋବର ୨୬ରେ ତେହେରାନରେ ହୋଇଥିବା ଚାରି ଦେଶର ସୁରକ୍ଷା ବୈଠକରେ ଏଭଳି ମନ୍ତବ୍ୟ ଦେଇଥିଲେ ମୁନୀର। ଏହି ବୈଠକରେ ଇରାନ, ପାକିସ୍ତାନ, ସାଉଦି ଆରବ ଓ ତୁର୍କୀର ପ୍ରତିନିଧିମାନେ ସାମିଲ ହୋଇଥିଲେ।

ଭାରତ-ଇସ୍ରାଏଲ ସମ୍ପର୍କକୁ ବିପଦ ଭାବୁଛି ପାକିସ୍ତାନ!

ଇରାନର ସରକାରୀ ଗଣମାଧ୍ୟମ IRIBକୁ ଦେଇଥିବା ଏକ ସାକ୍ଷାତକାରରେ ରେଜାଏ ଏହି ଘଟଣା ସମ୍ପର୍କରେ ଖୁଲାସା କରିଥିବା କୁହାଯାଉଛି। ଏହାକୁ ଆଧାର କରି 24 News HD ରିପୋର୍ଟ ପ୍ରକାଶ କରିଛି। ଏକ ଭିଡିଓରେ ରେଜାଏଙ୍କୁ ଅସିମ ମୁନୀର ଏବଂ ତୁର୍କୀର ଗୁଇନ୍ଦା ମୁଖ୍ୟ ଇବ୍ରାହିମ କାଲିନଙ୍କ ସହ ଆଲୋଚନା କରୁଥିବା ଦେଖାଯାଇଛି।

ଅନ୍ୟପଟେ ପାକିସ୍ତାନର ବରିଷ୍ଠ ସାମ୍ବାଦିକ ନଜମ ସେଠୀ ମଧ୍ୟ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏଭଳି ଦାବି କରିଛନ୍ତି। ତାଙ୍କ କହିବା ଅନୁସାରେ, ହିନ୍ଦୁ ଓ ୟହୂଦୀଙ୍କ ମଧ୍ୟରେ ନିକଟତର ହେଉଥିବା ସମ୍ପର୍କକୁ ମୁନୀର ଏକ ବଡ଼ ଭୂରାଜନୈତିକ ଚ୍ୟାଲେଞ୍ଜ ଭାବେ ଦେଖୁଛନ୍ତି।

ପୂର୍ବରୁ ମଧ୍ୟ ଦେଇଥିଲେ ବିବାଦୀୟ ବୟାନ

ଅସିମ ମୁନୀରଙ୍କ ଏଭଳି ମନ୍ତବ୍ୟ ପ୍ରଥମ ଘଟଣା ନୁହେଁ। ୨୦୨୫ ଏପ୍ରିଲରେ ପାକିସ୍ତାନୀ ସେନା ଯବାନଙ୍କୁ ସମ୍ବୋଧିତ କରିବା ସମୟରେ ସେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଧର୍ମ, ପରମ୍ପରା, ରୀତିନୀତି ଓ ଚିନ୍ତାଧାରାର ପାର୍ଥକ୍ୟ ରହିଥିବା କହିଥିଲେ। ଏଥିସହ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଦୁଇ ରାଷ୍ଟ୍ର ସିଦ୍ଧାନ୍ତ (Two-Nation Theory)ର ମଧ୍ୟ ଉଲ୍ଲେଖ କରିଥିଲେ।

ତେବେ ତେହେରାନ ବୈଠକରେ ମୁନୀର ପ୍ରକୃତରେ ଏଭଳି ମନ୍ତବ୍ୟ ଦେଇଥିଲେ କି ନାହିଁ, ତାହା ସ୍ୱାଧୀନ ଭାବେ ଏଯାଏଁ ଯାଞ୍ଚ ହୋଇନାହିଁ। ରେଜାଏ ଓ ନଜମ ସେଠୀଙ୍କ ଦାବିକୁ ନେଇ ଏବେ ଅନ୍ତର୍ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ