ଜୟପୁର, ୨/୧୧: ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ଘଟିଲା ଭୟଙ୍କର ଦୁର୍ଘଟଣା। ବିଦ୍ୟୁତ୍ ଆଘାତରେ ଚାଲିଗଲା ୮ ଜଣ ଶ୍ରମିକଙ୍କ ଜୀବନ। ଅନ୍ୟ କେତେକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ରାଜସ୍ଥାନର ଝୁନଝୁନୁ ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଝୁନଝୁନୁ ଜିଲ୍ଲାର ଛାପୋଲୀ ସହରର ଏକ ଆବାସିକ ଅଞ୍ଚଳରେ ରାସ୍ତା ନିର୍ମାଣ କାମ ଚାଲିଥିଲା। ଛାପୋଲୀରୁ କଦମ କୁଣ୍ଡକୁ ସଂଯୋଗ କରିବା ପାଇଁ ଏହି ରାସ୍ତା ନିର୍ମାଣ କରାଯାଉଥିଲା। ଏଥିରେ ଅନେକ ଶ୍ରମିକ କାମ କରୁଥିଲେ।
କାମରେ ବାଲି, ଗୋଡ଼ି ଓ ସିମେଣ୍ଟ ମିଶ୍ରଣ ପାଇଁ ଏକ ମିକ୍ସର ମେସିନ୍ ବ୍ୟବହାର ହେଉଥିଲା। ଏହି ସମୟରେ ହଠାତ୍ ମେସିନ୍ଟି ଉପରେ ଯାଇଥିବା ୧୧ କେଭି ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ମେସିନ୍ରେ ବିଦ୍ୟୁତ୍ ପ୍ରବାହିତ ହୋଇଥିଲା। ଏହାର ସଂସ୍ପର୍ଶରେ ଆସି ଶ୍ରମିକମାନେ ଭୟଙ୍କର ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ।
ଘଟଣା ପରେ କେତେକ ଶ୍ରମିକ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ନିଆଯାଇଥିଲା। ତେବେ ଡାକ୍ତର ୮ ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ କେତେକ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ରହିଥିବା ଜଣାପଡ଼ିଛି।

