ନୂଆଦିଲ୍ଲୀ : ବଦ୍ରିନାଥରୁ ଫେରିବା ବେଳେ ଭୟଙ୍କର ଦୁର୍ଘଟଣା। ହେଲିକପ୍ଟର ଖସି ୬ ଜଣଙ୍କ ମୃତ୍ୟୁ। ଉତ୍ତରାଖଣ୍ଡର ଚାମୋଲୀ ଜିଲ୍ଲା ଯୋଶୀମଠ ନିକଟ ପାଣ୍ଡୁକେଶ୍ୱରରେ ଏହି ଦୁର୍ଘଟଣା ଘଟିଛି। ଭେଡ଼ ଗଦେର ପାହାଡ଼ ଉପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
ବିପର୍ଯ୍ୟୟ ପ୍ରବନ୍ଧନ ଅଧିକାରୀ ନନ୍ଦ କିଶୋର ଯୋଶୀଙ୍କ ସୂଚନା ଅନୁସାରେ, ହେଲିକପ୍ଟରରେ ଥିବା ସମସ୍ତ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପାଇଲଟଙ୍କ ସହ ୫ ଜଣ ଯାତ୍ରୀ ରହିଛନ୍ତି। ସମସ୍ତ ଯାତ୍ରୀ ବେଙ୍ଗାଲୁରୁର ବୋଲି ପ୍ରାଥମିକ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଟ୍ରାନ୍ସ ଭାରତ କମ୍ପାନୀର ଏହି ହେଲିକପ୍ଟରଟି ବଦ୍ରିନାଥରୁ ଡେରାଡୁନ ଫେରୁଥିଲା। ଡେରାଡୁନର ଶହସ୍ରଧାରା ହେଲିପ୍ୟାଡରେ ଏହା ଅବତରଣ କରିବାର ଥିଲା। ତେବେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଏହା ଦୁର୍ଘଟଣାର ଶିକାର ହୋଇଛି।
ଖବର ପାଇ ସେନା ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି। ଉଦ୍ଧାର ଅଭିଯାନର ଦାୟିତ୍ୱ ମଧ୍ୟ ସେନା ତୁଲାଉଛି।

