ନୂଆଦିଲ୍ଲୀ: ୟୁଜରଙ୍କ ଲୋକେସନ୍ ଡାଟା ପ୍ରକ୍ରିୟାକରଣକୁ ନେଇ ଗୁଗଲକୁ ବଡ଼ ଝଟକା ଲାଗିଛି। ଆୟରଲ୍ୟାଣ୍ଡର ଡାଟା ପ୍ରୋଟେକ୍ସନ୍ କମିଶନ୍ (DPC) ଗୁଗଲ ଉପରେ ୪୦୩ ମିଲିୟନ୍ ୟୁରୋ ଜରିମାନା ଲଗାଇଛି। ଏହି ରାଶି ଭାରତୀୟ ମୁଦ୍ରାରେ ପ୍ରାୟ ୪,୩୦୦ କୋଟି ଟଙ୍କା ହେବ। ୨୧ ସେପ୍ଟେମ୍ବରରେ DPC ଏହାର ନିଷ୍ପତ୍ତି ଘୋଷଣା କରିଛି।
ଏହି ମାମଲାର କେନ୍ଦ୍ରରେ ରହିଛି ଗୁଗଲର ବିଭିନ୍ନ ସେବାରେ ୟୁଜରଙ୍କ ଲୋକେସନ୍ ଡାଟା ବ୍ୟବହାର। DPCର ତଦନ୍ତ ଅନୁଯାୟୀ, ଗୁଗଲର Web & App Activity, Location History ଏବଂ Location Accuracy ଫିଚର୍ରେ ଲୋକେସନ୍ ସୂଚନା ପ୍ରକ୍ରିୟାକରଣ ସମୟରେ GDPRର କିଛି ନିୟମ ପାଳନ ହୋଇନଥିଲା।
୬ ବର୍ଷ ଧରି ଚାଲିଥିଲା ତଦନ୍ତ
ଗୁଗଲର ଲୋକେସନ୍ ଡାଟା ବ୍ୟବହାରକୁ ନେଇ ଅଭିଯୋଗ ମିଳିବା ପରେ DPC ୨୦୨୦ ଫେବ୍ରୁଆରୀରେ ନିଜ ତରଫରୁ ତଦନ୍ତ ଆରମ୍ଭ କରିଥିଲା। ଏଥିରେ GDPR ଲାଗୁ ହେବାର ଦିନ ୨୫ ମେ’ ୨୦୧୮ରୁ ୪ ଫେବ୍ରୁଆରୀ ୨୦୨୦ ପର୍ଯ୍ୟନ୍ତ ଗୁଗଲର ଲୋକେସନ୍ ଡାଟା ପ୍ରକ୍ରିୟାକରଣକୁ ଯାଞ୍ଚ କରାଯାଇଥିଲା।
କେଉଁଠି ତ୍ରୁଟି ପାଇଲା ନିୟାମକ?
DPC କହିଛି, Web & App Activity ଏବଂ Location History ମାଧ୍ୟମରେ ଲୋକେସନ୍ ଡାଟା ପ୍ରକ୍ରିୟାକରଣରେ ଆଇନସମ୍ମତତା ଓ ନ୍ୟାୟସଙ୍ଗତତା ସମ୍ପର୍କିତ GDPR ନିୟମ ଉଲ୍ଲଂଘନ ହୋଇଥିଲା। ଏହା ସହିତ Location Accuracy ଫିଚର୍ରେ ଡାଟା ପ୍ରକ୍ରିୟାକରଣ ନିୟମ ଅନୁଯାୟୀ ହେଉଥିବା ପ୍ରମାଣ କରିବାରେ ଗୁଗଲ ବିଫଳ ହୋଇଥିବା ନିୟାମକ କହିଛି।
ୟୁଜରଙ୍କୁ ଏହି ତିନୋଟି ଫିଚର୍ରେ ଲୋକେସନ୍ ଡାଟା କିପରି ବ୍ୟବହାର ହେଉଛି, ସେନେଇ ପର୍ଯ୍ୟାପ୍ତ ଓ ସ୍ପଷ୍ଟ ସୂଚନା ଦିଆଯାଇନଥିବା ମଧ୍ୟ DPCର ନିଷ୍ପତ୍ତିରେ ଉଲ୍ଲେଖ ରହିଛି। ଡାଟା କେତେ ସମୟ ଧରି ସଂରକ୍ଷିତ ରଖାଯାଉଥିଲା, ସେନେଇ ମଧ୍ୟ ନିୟାମକ ଆପତ୍ତି ଉଠାଇଛି।
କାହିଁକି ଗୁରୁତ୍ୱପୂର୍ଣ୍ଣ ଲୋକେସନ୍ ଡାଟା?
କୌଣସି ବ୍ୟକ୍ତିଙ୍କ ଲୋକେସନ୍ ସୂଚନାରୁ ସେ କେଉଁ ସ୍ଥାନକୁ ଯାଉଛନ୍ତି, କେଉଁଠି ଅଧିକ ସମୟ ରହୁଛନ୍ତି କିମ୍ବା ତାଙ୍କର ଗତିବିଧି କ’ଣ ରହିଛି, ତାହା ସମ୍ପର୍କରେ ଅନୁମାନ କରାଯାଇପାରେ। DPC ଅନୁଯାୟୀ, ଅନ୍ୟ ବ୍ୟକ୍ତିଗତ ତଥ୍ୟ ସହ ଏହି ଲୋକେସନ୍ ଡାଟାକୁ ମିଶାଇଲେ ଜଣେ ବ୍ୟକ୍ତିଙ୍କ ବିଷୟରେ ଅଧିକ ବ୍ୟକ୍ତିଗତ ସୂଚନା ଜଣାପଡ଼ିପାରେ।
୬ ମାସ ମଧ୍ୟରେ ନିୟମ ମାନିବାକୁ ନିର୍ଦ୍ଦେଶ
କେବଳ ଜରିମାନା ନୁହେଁ, ଗୁଗଲକୁ ନିଜର ସମ୍ପୃକ୍ତ ଡାଟା ପ୍ରକ୍ରିୟାକରଣ ବ୍ୟବସ୍ଥାକୁ GDPR ଅନୁକୂଳ କରିବା ପାଇଁ ୬ ମାସ ସମୟ ଦିଆଯାଇଛି। DPC କହିଛି, ଏହି ନିଷ୍ପତ୍ତିର ପୂରା ବିବରଣୀ ପରେ ପ୍ରକାଶ କରାଯିବ।

