ମୁମ୍ବାଇ, ୨୩/୦୯: ବଲିଉଡ୍ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ପରିବାରରୁ ଆସିଛି ଦୁଃଖଦ ଖବର। ରାଣୀଙ୍କ ମା’ ତଥା ଅଭିନେତ୍ରୀଙ୍କ ଜୀବନର ଜଣେ ବଡ଼ ପ୍ରେରଣା କ୍ରିଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର ଅପରାହ୍ନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପରିବାର ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି।
ପରିବାର ପକ୍ଷରୁ ଜାରି ବିବୃତ୍ତିରେ କ୍ରିଷ୍ଣା ମୁଖାର୍ଜୀଙ୍କ ଦେହାନ୍ତ ନେଇ ସୂଚନା ଦିଆଯିବା ସହ ଏହି ଦୁଃଖଦ ସମୟରେ ପରିବାରକୁ ବ୍ୟକ୍ତିଗତ ସମୟ ଦେବାକୁ ଅନୁରୋଧ କରାଯାଇଛି। ଶୋକାକୁଳ ପରିବାରର ଗୋପନୀୟତାକୁ ସମ୍ମାନ ଦେବା ସହ ଶୁଭେଚ୍ଛୁମାନଙ୍କ ଭଲପାଇବା, ପ୍ରାର୍ଥନା ଓ ସମର୍ଥନ ପାଇଁ ପରିବାର କୃତଜ୍ଞତା ଜଣାଇଛି।
ମା’ଙ୍କ ସହ ଥିଲା ରାଣୀଙ୍କ ଗଭୀର ସମ୍ପର୍କ
ରାଣୀ ମୁଖାର୍ଜୀ ଓ ତାଙ୍କ ମା’ କ୍ରିଷ୍ଣାଙ୍କ ମଧ୍ୟରେ ଥିଲା ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ। ରାଣୀ ଅନେକ ସାକ୍ଷାତକାରରେ ନିଜ ଜୀବନ ଓ ଅଭିନୟ କ୍ୟାରିୟରରେ ମା’ଙ୍କ ଅବଦାନ ବିଷୟରେ କହିଛନ୍ତି।
ବିଶେଷକରି ୨୦୨୩ରେ ମୁକ୍ତିଲାଭ କରିଥିବା ‘ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ’ ଚଳଚ୍ଚିତ୍ରରେ ଜଣେ ବଙ୍ଗାଳୀ ମା’ଙ୍କ ଚରିତ୍ରକୁ ଜୀବନ୍ତ କରିବା ବେଳେ ରାଣୀ ନିଜ ମା’ଙ୍କଠାରୁ ଅନେକ ପ୍ରେରଣା ନେଇଥିଲେ। ଚରିତ୍ର ପାଇଁ ପ୍ରକୃତ ଘଟଣାର ନାୟିକା ସାଗରିକାଙ୍କ କିଛି ଭିଡିଓ ଦେଖିଥିଲେ ମଧ୍ୟ ଅଭିନୟ ସମୟରେ ନିଜ ମା’ଙ୍କ ବ୍ୟକ୍ତିତ୍ୱକୁ ଅଧିକ ଆଧାର କରିଥିବା ରାଣୀ କହିଥିଲେ।
ରାଣୀଙ୍କ କହିବା ଅନୁସାରେ, ଘରେ ମା’ଙ୍କ ସ୍ନେହ, ଯତ୍ନ ଓ ବଙ୍ଗାଳୀ ପରମ୍ପରା ସହ ଜଡ଼ିତ ଅନେକ ଅଭ୍ୟାସ ତାଙ୍କୁ ଏହି ଚରିତ୍ର ପାଇଁ ଭାବନାତ୍ମକ ଭାବେ ପ୍ରସ୍ତୁତ କରିଥିଲା।
ସଙ୍ଗୀତ ଜଗତ ସହ ଜଡ଼ିତ ଥିଲେ କ୍ରିଷ୍ଣା
କ୍ରିଷ୍ଣା ମୁଖାର୍ଜୀ କେବଳ ରାଣୀଙ୍କ ମା’ ଭାବେ ନୁହେଁ, ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ରଖିଥିଲେ। ସେ ସଙ୍ଗୀତ ଜଗତ ସହ ଜଡ଼ିତ ଥିଲେ ଏବଂ ପ୍ଲେବ୍ୟାକ୍ ଗାୟିକା ଭାବେ ମଧ୍ୟ କାମ କରିଥିଲେ।
ସେ ଚଳଚ୍ଚିତ୍ର ନିର୍ମାତା ତଥା ଫିଲ୍ମାଲୟା ଷ୍ଟୁଡିଓର ସହ-ସଂସ୍ଥାପକ ରାମ ମୁଖାର୍ଜୀଙ୍କୁ ବିବାହ କରିଥିଲେ। ରାମ ମୁଖାର୍ଜୀଙ୍କର ୨୦୧୭ ମସିହାରେ ପରଲୋକ ଘଟିଥିଲା। ଏବେ କ୍ରିଷ୍ଣା ମୁଖାର୍ଜୀଙ୍କ ଦେହାନ୍ତରେ ମୁଖାର୍ଜୀ ପରିବାରରେ ଶୋକର ଛାୟା ଖେଳିଯାଇଛି।

