ଆଜି ରାତିରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ! ଆପଣ ରୁହନ୍ତୁ ସାବଧାନ

ଭୁବନେଶ୍ୱର, ୨୩/୦୯: ରାଜ୍ୟରେ ଆହୁରି ବଢ଼ିବ ବର୍ଷାର ପ୍ରକୋପ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଆସନ୍ତା ୩ ଦିନ ଧରି ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। ଉପକୂଳ ଓ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟ ଲଗାଣ ବର୍ଷା ଜାରି ରହିପାରେ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ବିଳମ୍ବିତ ରାତିରେ ବିଶାଖାପାଟଣା-ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ଶ୍ରୀକାକୁଲମ ନିକଟରେ ଏହା ସ୍ଥଳଭାଗକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିମି ରହିପାରେ। ଝଟକା ପବନର ବେଗ ୭୫ କିମି ପର୍ଯ୍ୟନ୍ତ ଯାଇପାରେ।

କେଉଁଆଡ଼େ ଯିବ ଗଭୀର ଅବପାତ?

ସ୍ଥଳଭାଗ ଛୁଇଁବା ପରେ ଗଭୀର ଅବପାତ ଦିଗ ପରିବର୍ତ୍ତନ କରି ପାର୍ବତୀପୁରମ ଅଞ୍ଚଳ ଦେଇ କୋରାପୁଟ ଆଡ଼କୁ ଗତି କରିପାରେ। ୨୪ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ନାରାୟଣପାଟଣା ନିକଟରେ ଗଭୀର ଅବପାତ ଅବସ୍ଥାରେ ରହିବାର ଆକଳନ କରାଯାଇଛି।

ପରବର୍ତ୍ତୀ ସମୟରେ ଏହା ଧୀରେ ଧୀରେ ଦୁର୍ବଳ ହୋଇପାରେ। ୨୫ ତାରିଖ ଦିନ ପ୍ରାୟ ୧୧ଟା ୩୦ ସୁଦ୍ଧା ନବରଙ୍ଗପୁରର ଉମରକୋଟ ନିକଟରେ ଏହା ଅବପାତ ଅବସ୍ଥାରେ ଥିବା ସମ୍ଭାବନା ରହିଛି। ପରେ ଏହା କଳାହାଣ୍ଡିର ଭବାନୀପାଟଣା, ବଲାଙ୍ଗିରର କଣ୍ଟାବାଞ୍ଜି ଓ ନୂଆପଡ଼ା ଦେଇ ଛତିଶଗଡ଼ ଆଡ଼କୁ ଗତି କରିପାରେ।

୪ ଜିଲ୍ଲାକୁ ରେଡ୍ ଆଲର୍ଟ

ବୁଧବାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ରେଡ୍ ଆଲର୍ଟ ଜାରି ହୋଇଛି। କିଛି ସ୍ଥାନରେ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିପାରେ।

ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ଝଟକା ପବନର ସମ୍ଭାବନା ରହିଛି।

ଏହାବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବରଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ଶିକ୍ଷାନୁଷ୍ଠାନ ବନ୍ଦ

ବର୍ଷା ଓ ସମ୍ଭାବ୍ୟ ପାଣିପାଗ ପରିସ୍ଥିତିକୁ ଦେଖି ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ବଲାଙ୍ଗିର ଓ ନୟାଗଡ଼ ଜିଲ୍ଲାରେ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ମାଲକାନଗିରିରେ ୨୫ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି।

୨୩ରୁ ୨୫ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ

୨୩, ୨୪ ଓ ୨୫ ତାରିଖରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିବ। ଗୁରୁବାର ନବରଙ୍ଗପୁରରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ଅଧିକ ରହିବ। ଉପକୂଳ ଓଡ଼ିଶାରେ ବି ବର୍ଷା ଲାଗି ରହିପାରେ।

ଗୁରୁବାର ପବନର ବେଗ ୪୦ରୁ ୫୦ କିମି ଏବଂ ଶୁକ୍ରବାର ୩୦ରୁ ୪୦ କିମି ମଧ୍ୟରେ ରହିପାରେ। ଶୁକ୍ରବାର ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। ତେବେ ୨୬ ତାରିଖ ଶନିବାରଠାରୁ ରାଜ୍ୟରେ ବର୍ଷାର ପ୍ରକୋପ ଧୀରେ ଧୀରେ କମିବାର ସମ୍ଭାବନା ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ