ନୂଆଦିଲ୍ଲୀ, ୧୯/୦୯: ମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ ଘଟିଲା ଭୟଙ୍କର ଅଘଟଣ। ପ୍ରବଳ ବର୍ଷା ପରେ ନାଳରେ ସୃଷ୍ଟି ହୋଇଥିବା ପ୍ରଖର ଜଳସ୍ରୋତରେ ଏକ କାର୍ ଭାସିଯିବାରୁ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଶିଶୁ, ୨ ମହିଳା ଓ ୩ ପୁରୁଷ ରହିଛନ୍ତି। ଘଟଣାଟି ମଧ୍ୟପ୍ରଦେଶର ଆଗ୍ରା ମାଲୱା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି।
ଶନିବାର ଶ୍ରଦ୍ଧାଳୁମାନେ ନାଲଖେଡାସ୍ଥିତ ମା’ ବଗଳାମୁଖୀ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ। ମନ୍ଦିର ନିକଟରେ ଏକ ନାଳ ପାର୍ ହେବା ସମୟରେ କାର୍ଟି ପ୍ରଖର ଜଳସ୍ରୋତରେ ପଡ଼ିଯାଇଥିଲା। ପାଣିର ବେଗ ଅଧିକ ଥିବାରୁ କାର୍ଟି ଭାରସାମ୍ୟ ହରାଇ ଭାସିଯାଇଥିଲା।
ଘଟଣାର ସୂଚନା ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ କାର୍ରୁ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ପ୍ରାଥମିକ ସୂଚନା ଅନୁସାରେ, ମୃତକମାନେ ଓଡ଼ିଶାର ବୋଲି ଜଣାପଡ଼ିଛି। ସମସ୍ତ ମୃତଦେହର ପୋଷ୍ଟମର୍ଟମ୍ କରାଯାଉଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଓ ମୃତକଙ୍କ ପରିଚୟ ସ୍ପଷ୍ଟ ହେବା ପ୍ରକ୍ରିୟା ଜାରି ରହିଛି।

