ଭାରତକୁ ଦରୁଛି ଚାଇନା : ସୀମା ଛାଡ଼ି ପଳେଇଲେ ଡ୍ରାଗନ୍ ଯବାନ

ଏଲଏସିରେ ସୈନ୍ୟ କମାଇଲା ଚୀନ୍, ରିପୋର୍ଟରେ ବଡ଼ ଖୁଲାସା; ଜମ୍ମୁ-କାଶ୍ମୀରରେ ବି କମିଛି ହିଂସା

ନୂଆଦିଲ୍ଲୀ, ୧୫/୦୯: ଭାରତ-ଚୀନ୍ ସୀମାରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଏଲଏସିରେ ଚୀନ୍ ନିଜ ସୈନ୍ୟ ମୁତୟନ କିଛି ମାତ୍ରାରେ କମାଇଥିବା ଭାରତୀୟ ସେନାର ୨୦୨୫-୨୬ ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି। ବର୍ତ୍ତମାନ ଏଲଏସି ଏବଂ ଚୀନର ମିଲିଟାରୀ ଟ୍ରେନିଂ ସେଣ୍ଟରରେ ପ୍ରାୟ ୧୦ଟି କମ୍ବାଇନ୍ଡ ଆର୍ମ୍ସ ବ୍ରିଗେଡର ସୈନ୍ୟ ମୁତୟନ ଥିବା କୁହାଯାଇଛି।

ଗୋଟିଏ କମ୍ବାଇନ୍ଡ ଆର୍ମ୍ସ ବ୍ରିଗେଡରେ ପ୍ରାୟ ୩ ହଜାର ସୈନିକ ରହିଥାନ୍ତି। ଏହି ବ୍ରିଗେଡରେ ପଦାତିକ ସେନା ସହ ଟ୍ୟାଙ୍କ, ତୋପଖାନା ଏବଂ ଏୟାର ଡିଫେନ୍ସ ଭଳି ବିଭିନ୍ନ ସାମରିକ କ୍ଷମତାକୁ ଏକାଠି କରାଯାଇଥାଏ।

ସବୁ ସେକ୍ଟରରେ ଭାରତୀୟ ସେନା ସଜାଗ

ରିପୋର୍ଟ ଅନୁଯାୟୀ, ଏଲଏସିର ସମସ୍ତ ସେକ୍ଟରରେ ଭାରତୀୟ ସେନାର ଉପସ୍ଥିତି ମଜଭୂତ ରହିଛି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସେନା ପ୍ରସ୍ତୁତ ଥିବା ରିପୋର୍ଟରେ କୁହାଯାଇଛି।

ଏହା ସହ ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ଆଲୋଚନା ପ୍ରକ୍ରିୟା ମଧ୍ୟ ଜାରି ରହିଛି। ୨୦୨୫ ମାର୍ଚ୍ଚ ଓ ଜୁଲାଇରେ ୱାର୍କିଂ ମେକାନିଜମ ଫର୍ କନ୍ସଲଟେସନ ଆଣ୍ଡ କୋଅର୍ଡିନେସନ୍‌ (ଡବଲୁଏମସିସି)ର ୩୩ତମ ଓ ୩୪ତମ ବୈଠକ ହୋଇଥିଲା।

ସେହିପରି ସୀମା ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନା ମଧ୍ୟ ହୋଇଥିଲା। ୨୦୨୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ ଗସ୍ତ କରି ତିଆନଜିନରେ ଏସସିଓ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ।

ଜମ୍ମୁ-କାଶ୍ମୀରରେ କମିଛି ପଥରମାଡ଼

ସେନାର ବାର୍ଷିକ ରିପୋର୍ଟରେ ଜମ୍ମୁ-କାଶ୍ମୀରର ସ୍ଥିତିକୁ ନେଇ ମଧ୍ୟ ତଥ୍ୟ ଦିଆଯାଇଛି। ୨୦୨୫ରେ ଉପତ୍ୟକାରେ ଗୋଟିଏ ବି ପଥରମାଡ଼ ଘଟଣା ଘଟିନଥିବା କୁହାଯାଇଛି। ହିଂସା ଓ ବିକ୍ଷୋଭ ଘଟଣା ମଧ୍ୟ ହ୍ରାସ ପାଇଛି।

ରିପୋର୍ଟ ଅନୁସାରେ, ୨୦୨୫ରେ କେବଳ ଜଣେ ସ୍ଥାନୀୟ ଯୁବକ ଆତଙ୍କୀ ସଙ୍ଗଠନରେ ଯୋଗ ଦେଇଥିଲେ। ବିକାଶମୂଳକ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ସହଯୋଗ ବୃଦ୍ଧି ପାଇଥିବା ମଧ୍ୟ ସେନା କହିଛି।

ଏଲଓସିରେ ବଢ଼ିଲା ଅସ୍ତ୍ରବିରତି ଉଲ୍ଲଂଘନ

ତେବେ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ ମାମଲା ବଢ଼ିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୨୪ରେ ଯେଉଁଠାରେ ମାତ୍ର ୨ଟି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା, ୨୦୨୫ରେ ଏହା ବଢ଼ି ୧୬୩ରେ ପହଞ୍ଚିଥିଲା।

ଏହି ସମୟରେ ୧୨ ଜଣ ପାକିସ୍ତାନୀ ଆତଙ୍କୀଙ୍କୁ ନିପାତ କରାଯାଇଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।

ଡ୍ରୋନ୍‌ରେ ଅସ୍ତ୍ର ଓ ନିଶା ଚାଲାଣ ବଡ଼ ଚ୍ୟାଲେଞ୍ଜ

ପଶ୍ଚିମ ସୀମାରେ ଡ୍ରୋନ୍‌ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଚାଲାଣକୁ ସୁରକ୍ଷାବାହିନୀ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ଦର୍ଶାଯାଇଛି। ୨୦୨୫ରେ ଅନ୍ତର୍ଜାତୀୟ ସୀମା ନିକଟରୁ ୨ଟି ଏକେ-୪୭ ରାଇଫଲ, ୭୫ଟି ପିସ୍ତଲ ଏବଂ ୨୮୧.୪୧ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରାଯାଇଥିଲା।

ବିଶେଷକରି ପଞ୍ଜାବ ସୀମାରେ ଡ୍ରୋନ୍‌ ଜରିଆରେ ଏଭଳି ଚାଲାଣ ଚିନ୍ତାର କାରଣ ପାଲଟିଥିବା ରିପୋର୍ଟରେ କୁହାଯାଇଛି।

ଅପରେସନ ସିନ୍ଦୂର ପରେ ସେନାରେ ପରିବର୍ତ୍ତନ

ଅପରେସନ ସିନ୍ଦୂର ପରେ ଜମ୍ମୁ-କାଶ୍ମୀର ଏବଂ ଏଲଓସିର ସୁରକ୍ଷା ପରିସ୍ଥିତିରେ ପରିବର୍ତ୍ତନ ଆସିଥିବା ଭାରତୀୟ ସେନା କହିଛି। ୨୦୨୫ ମେ’ ୧୦ ଓ ୧୨ ତାରିଖରେ ଭାରତ ଓ ପାକିସ୍ତାନର ଡିଜିଏମଓଙ୍କ ମଧ୍ୟରେ ଆଲୋଚନା ପରେ ଏଲଓସିରେ ସ୍ଥିତି ତୁଳନାମୂଳକ ଭାବେ ସ୍ଥିର ରହିଛି।

ତେବେ ସୀମାରେ ଅନିଶ୍ଚିତତା ଏବେ ବି ରହିଛି। ଏହାକୁ ଦୃଷ୍ଟିରେ ରଖି ଅପରେସନ ସିନ୍ଦୂର ପରେ ସେନା ନିଜର ସାମରିକ କ୍ଷମତାର ସମୀକ୍ଷା କରିଛି। କ୍ଷମତାରେ ଥିବା ଅଭାବକୁ ଦୂର କରିବା, ପୁନର୍ଗଠନ ଏବଂ ତିନି ସେନା ମଧ୍ୟରେ ସମନ୍ୱୟକୁ ଆହୁରି ମଜଭୂତ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା ରିପୋର୍ଟରେ ଦର୍ଶାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ