ରାଜ୍ୟରେ କମିଲା ବର୍ଷା ! ଧିରେ ଧିରେ ଛାଡ଼ିବ, ଏହି ଦିନ କିନ୍ତୁ…

ଭୁବନେଶ୍ୱର, ୧୩/୦୯: ରାଜ୍ୟରେ ଲଗାଣ ବର୍ଷାରୁ ମିଳିବ ଆଶ୍ୱସ୍ତି। ରବିବାରଠାରୁ ଓଡ଼ିଶାରେ ବର୍ଷାର ପରିମାଣ କମିବା ସମ୍ଭାବନା ରହିଛି। ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିପାରେ। ତେବେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଛିଟିଛାଟି ବର୍ଷା ହୋଇପାରେ। ପାଣିପାଗର ଏହି ପରିବର୍ତ୍ତନ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଗତ କିଛି ଦିନ ଧରି ରାଜ୍ୟର ଅନେକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିଲା। ବିଶେଷକରି ମାଲକାନଗିରିରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା। ଜିଲ୍ଲାର ଅନେକ ତଳିଆ ଅଞ୍ଚଳରେ ବର୍ଷାଜଳ ଜମି ରହିବାରୁ ଲୋକେ ଜଳବନ୍ଦୀ ହୋଇଥିଲେ। ତେବେ ଶନିବାରଠାରୁ ଅନେକ ସ୍ଥାନରେ ପାଣି ଖସିବା ଆରମ୍ଭ ହୋଇଛି।

ମାଲକାନଗିରିରେ ୧୪୨ ମିମି ବର୍ଷା

ଗତ ୨୪ ଘଣ୍ଟାରେ ମାଲକାନଗିରିରେ ୧୪୨ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ନୂଆପଡ଼ାରେ ୭୯ ମିମି ବର୍ଷା ହୋଇଥିବା ବେଳେ ଶନିବାର ଏଠାରେ ପ୍ରାୟ ୨୦ ମିମି ବର୍ଷା ରେକର୍ଡ ହୋଇଛି। ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ଯାତାୟାତ ଓ ସାଧାରଣ ଜୀବନ ମଧ୍ୟ ପ୍ରଭାବିତ ହୋଇଥିଲା।

କେଉଁ ଜିଲ୍ଲାରେ ବର୍ଷା?

ପାଣିପାଗ ବିଭାଗର ଆକଳନ ଅନୁସାରେ, ରବିବାରଠାରୁ ବର୍ଷାର ପ୍ରଭାବ ଧୀରେ ଧୀରେ କମିପାରେ। ଉତ୍ତର ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ତେବେ ପାଗ ଶୁଖିଲା ରହିପାରେ।

ବିଶେଷକରି ସେପ୍ଟେମ୍ବର ୧୪ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ। ଏହି ସମୟରେ ଅନ୍ୟ ଅଞ୍ଚଳଗୁଡ଼ିକରେ ବଡ଼ଧରଣର ବର୍ଷା ଆଶଙ୍କା କମ୍‌ ରହିଛି।

ତେବେ ବର୍ଷା କମିଲେ ମଧ୍ୟ ପୂର୍ବରୁ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜମିଥିବା ପାଣି ସମ୍ପୂର୍ଣ୍ଣ ଖସିବାକୁ କିଛି ସମୟ ଲାଗିପାରେ। ବିଶେଷକରି ନଦୀ ଓ ଜଳାଶୟ ନିକଟବର୍ତ୍ତୀ ଅଞ୍ଚଳରେ ପରିସ୍ଥିତି ଉପରେ ନଜର ରଖାଯାଉଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ